Matthew 15

ପରମ୍ପରା ଏବଂ ଈଶ୍ୱରଙ୍କ ବାକ୍ୟ

(ମାର୍କ. 7:1-13)

1ସେହି ସମୟରେ ଯିରୂଶାଲମରୁ ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ, 2ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅମାନ୍ୟ କରନ୍ତି ? କାରଣ ଭୋଜନ କରିବା ସମୟରେ ସେମାନେ ହାତ ଧୁଅନ୍ତି ନାହିଁ । 3ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ୱରଙ୍କ ଆଜ୍ଞା ଅମାନ୍ୟ କର ?

4ଈଶ୍ୱର ତ କହିଅଛନ୍ତି ପିତାମାତାକୁ ସମାଦର କର, ଆଉ ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ । 5କିନ୍ତୁ ତୁମ୍ଭେମାନେ କହୁଥାଅ, ଯେ କେହି ପିତା କି ମାତାକୁ କହେ, ମୋ’ଠାରୁ ଯାହା କିଛି ସାହାଯ୍ୟ ତୁମ୍ଭେ ପାଇଥାନ୍ତ, ସେ ସବୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଅଛି, 6ସେ ଆପଣା ପିତାମାତାକୁ ନିଶ୍ଚୟ ସମାଦର କରିବ ନାହିଁ । ଏହି ଭଳି ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରିଅଛ ।

7ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଉପଯୁକ୍ତଭାବେ ଏହି ଭାବବାଣୀ କହିଅଛନ୍ତି,

8ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ ।
9ସେମାନେ ମନୁଷ୍ୟମାନଙ୍କ ନିୟମଗୁଡ଼ିକ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି ।

ଯାହା ମନୁଷ୍ୟକୁ ଅଶୁଚି କରିଥାଏ

(ମାର୍କ. 7:14-23)

10ଆଉ ଯୀଶୁ ଲୋକମାନଙ୍କୁ ପାଖକୁ ଡାକି ସେମାନଙ୍କୁ କହିଲେ, ଶୁଣ ଓ ବୁଝ; 11ମୁଖରେ ଯାହା ପ୍ରବେଶ କରେ, ତାହା ଯେ ମନୁଷ୍ୟକୁ ଅଶୁଚି କରେ, ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ, ତାହା ହିଁ ମନୁଷ୍ୟକୁ ଅଶୁଚି କରେ ।

12ସେତେବେଳେ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଫାରୂଶୀମାନେ ଏହି କଥା ଶୁଣି ଯେ ଅପମାନିତ ହୋଇଛନ୍ତି, ଆପଣ କ’ଣ ଏହା ଜାଣନ୍ତି ? 13କିନ୍ତୁ ଯୀଶୁ ଉତ୍ତର ଦେଲେ, ଯେଉଁ ସବୁ ବୃକ୍ଷ ମୋହର ସ୍ୱର୍ଗସ୍ଥ ପିତା ରୋପଣ କରି ନାହାଁନ୍ତି, ସେ ସବୁ ଉତ୍ପାଟିତ ହେବ । 14ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥପ୍ରଦର୍ଶକ; ଆଉ ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ, ତେବେ ଦୁହେଁ ଖାତରେ ପଡ଼ିବେ ।

15ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦୃଷ୍ଟାନ୍ତଟି ଆମ୍ଭମାନଙ୍କୁ ବୁଝାଇଦିଅନ୍ତୁ । 16ଯୀଶୁ କହିଲେ, ତୁମ୍ଭେମାନେ କ’ଣ ଏପର୍ଯ୍ୟନ୍ତ ଅବୋଧ ? 17ଯାହା କିଛି ମୁଖରେ ପ୍ରବେଶ କରେ, ତାହା ପେଟକୁ ଯାଇ ବାହାରେ ଯେ ପକାଯାଏ, ଏହା କ’ଣ ବୁଝୁ ନାହଁ ?

18କିନ୍ତୁ ମୁଖରୁ ଯାହାସବୁ ବାହାରେ, ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ । 19କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୋରି, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ; 20ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ଅଧୁଆ ହାତରେ ଖାଇବା ମନୁଷ୍ୟକୁ ଅଶୁଚି କରେ ନାହିଁ ।

କିଣାନୀୟା ସ୍ତ୍ରୀର ବିଶ୍ୱାସ

(ମାର୍କ. 7: 24-30)

21ଯୀଶୁ ସେଇ ସ୍ଥାନରୁ ଅଲଗା ହୋଇ ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ । 22ଆଉ ଦେଖ, ସେହି ସୀମାରୁ ଜଣେ କିଣାନୀୟ ସ୍ତ୍ରୀ ଆସି ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ପ୍ରଭୁ, ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ, ମୋର ଝିଅଟିକୁ ଅତି ଭୟଙ୍କର ଭାବରେ ଭୂତ ଦ୍ୱାରା କଷ୍ଟ ପାଉଅଛି । 23କିନ୍ତୁ ଯୀଶୁ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ । ଆଉ ତାହାଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦାୟ କରନ୍ତୁ, କାରଣ ଏ ଆମ୍ଭମାନଙ୍କ ପଛେ ପଛେ ଚିତ୍କାର କରୁଅଛି ।

24କିନ୍ତୁ ଯୀଶୁ ଉତ୍ତର ଦେଲେ, ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇ ନାହିଁ । 25କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ, ମୋର ଉପକାର କରନ୍ତୁ । 26ମାତ୍ର ସେ ଉତ୍ତର ଦେଲେ, ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ ।

27କିନ୍ତୁ ସେ କହିଲା, ହଁ, ପ୍ରଭୁ, କାରଣ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡ଼ିବା ଅଇଁଠା ଖାଆନ୍ତି । 28ସେଥିରେ ଯୀଶୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ। ସେହି ମୁହୂର୍ତ୍ତରୁ ତାହାର କନ୍ୟା ସୁସ୍ଥ ହେଲା ।

ଅନେକ ଲୋକଙ୍କୁ ଯୀଶୁଙ୍କ ସୁସ୍ଥତା ପ୍ରଦାନ

(ଯିଶା. 35:5,6; ଲୂକ.7:22,23)

29ଯୀଶୁ ସେଠାରୁ ପ୍ରସ୍ଥାନ କରି ଗାଲିଲୀ ସମୁଦ୍ର ନିକଟକୁ ଆସିଲେ, ଆଉ ପର୍ବତ ଉପରକୁ ଯାଇ ସେଠାରେ ବସିଲେ । 30ପୁଣି, ବହୁସଂଖ୍ୟକ ଲୋକ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ ଅନ୍ୟାନ୍ୟ ଅନେକଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସିଲେ ଏବଂ ସେମାନଙ୍କୁ ତାହାଙ୍କ ପାଦ ତଳେ ଥୋଇଦେଲେ, ପୁଣି, ସେ ସେମାନଙ୍କୁ ସୁସ୍ଥ କଲେ । 31ଏହି ରୂପେ ମୂକମାନେ ଯେ କଥା କହୁଅଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକସମୂହ ଚମତ୍କୃତ ହେଲେ, ପୁଣି, ଇସ୍ରାଏଲର ଈଶ୍ୱରଙ୍କ ମହିମା କୀର୍ତ୍ତନ କଲେ ।

ଚାରି ହଜାର ଲୋକଙ୍କୁ ଭୋଜନ କରାଇବା

(ମାର୍କ. 8: 1-10)

32ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ଏହି ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ; କାଳେ ବାଟରେ ଏମାନେ ମୂର୍ଚ୍ଛା ହୋଇଯାଇ ପାରନ୍ତି, ଏଥିପାଇଁ ସେମାନଙ୍କୁ ଅନାହାରରେ ବିଦାୟ ଦେବାକୁ ମୋହର ଇଚ୍ଛା ନାହିଁ । 33ଶିଷ୍ୟମାନେ ତାହାଙ୍କୁ କହିଲେ, ଏତେ ଲୋକଙ୍କୁ ତୃପ୍ତ କରିବା ପାଇଁ ଆମ୍ଭେମାନେ ନିର୍ଜ୍ଜନ ସ୍ଥାନରେ କେଉଁଠାରୁ ଏତେ ରୁଟି ପାଇବା ? 34ଯୀଶୁ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି ? ସେମାନେ କହିଲେ, ସାତୋଟି, ପୁଣି, ଅଳ୍ପ କେତୋଟି ସାନ ମାଛ । 35ସେଥିରେ ସେ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ,

36ଆଉ ଯୀଶୁ ସେହି ସାତୋଟି ରୁଟି ଓ ମାଛଗୁଡ଼ିକ ଘେନି ଧନ୍ୟବାଦ ଦେଇ ସେହି ସବୁ ଶିଷ୍ୟମାନଙ୍କୁ ଦିଅନ୍ତେ ସେମାନେ ଲୋକସମୂହକୁ ଦେଲେ । 37ଆଉ ସମସ୍ତେ ଭୋଜନ କରି ପରିତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ଟୋକେଇ ଭର୍ତ୍ତି କଲେ । 38ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ଚାରି ହଜାର ପୁରୁଷ ଥିଲେ । ଏଥିଉତ୍ତାରେ ସେ ଲୋକସମୂହକୁ ବିଦାୟ ଦେଇ ନୌକାରେ ଚଢ଼ି ମଗଦାନ ସୀମାକୁ ଆସିଲେ ।

39

Copyright information for OriULB